Unknown

 

 

 

 

 

 

 

 

 

ବଉଳ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(‘କୋଇଲି’ ପରି ‘ବଉଳ ଚଉତିଶା’ ଏକ ସମ୍ବୋଧନ ମୂଳକ ଚଉତିଶା । ‘କୋଇଲି’ ରେ କୋଇଲି ପକ୍ଷୀକୁ ଦୂତ କଲାଭଳି, କବି ଏଠାରେ ‘ବଉଳ’ କୁ ରାଧାଙ୍କ ଦୂତୀ ଭାବେ ଗ୍ରହଣ କରିଛନ୍ତି-। ‘ବସନ୍ତ’ ୠତୁର ସଖା ‘ବଉଳ’ । ସେ ରାଧାଙ୍କୁ ଦୂତ ହୋଇ ଶ୍ରୀକୃଷ୍ଣଙ୍କ ନିକଟକୁ ଯିବା ପାଇଁ ପ୍ରସ୍ତୁତ ହୋଇଛି । ରାଧା ନିଜର ମନର ଭଲପାଇବା, ବିରହ ବେଦନାକୁ ତା’ ନିକଟରେ ପ୍ରକାଶ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏହି ଧରଣର ଚଉତିଶା ନୂତନ । ଚଉତିଶାରେ ରାଧାକୃଷ୍ଣଙ୍କର ଅପୂର୍ବ ପ୍ରେମଲୀଳା ପ୍ରସ୍ଫୁଟିତ ।)

 

କହନ୍ତି ରାଧିକା ଦେଖି ରସାଳ ବକୁଳ

କଂସପୁରେ ରହିଲେ ଗୋ ବଉଳ ! କୃଷ୍ଣ କାମପାଳ ଗୋ ବଉଳ !

କହିଥିଲେ ଯେତେ ଯେତେ କଥା ତୁମ୍ଭ ମୂଳେ

କେମନ୍ତେ ତା ପାସୋରିଲେ ଗୋ ବଉଳ ! ପଡ଼ି କାହା ମେଳେ ଗୋ ବଉଳ ! ।୧।

କ୍ଷଣେ ନ ଛାଡ଼ନ୍ତି ତୁମ୍ଭ ବିକାଶ କାଳରେ

ଖଣ୍ଡି ଗଲେ ତେତେ ସୁଖ ଗୋ ବଉଳ ! ଏକେ ସେ କାଳରେ ଗୋ ବଉଳ !

ଖୋସିଥିଲେ ତୁମ୍ଭଙ୍କୁ ସେ ଶିରେ ତୋରା କରି

ଖରେ କାମେ ବଶ ହେଉ ଗୋ ବଉଳ ! ଦେଖି ଗୋପନାରୀ ଗୋ ବଉଳ ! ।୨।

ଗଣ୍ଡରେ ଝଟକୁଥାଇ ମକର ମୁଣ୍ଡଳ

ଗଞ୍ଜଇ ପୂର୍ଣ୍ଣିମା ଚାନ୍ଦ ଗୋ ବଉଳ ! ଶ୍ରୀମୁଖ ମଣ୍ଡଳ ଗୋ ବଉଳ !

ଗୋରୋଚନା ଚିତା ଥିଲେ ନାସାରେ ମୁକୁତା

ଗେଲାଇ କହିବା ଭାବ ଗୋ ବଉଳ ! ହାରଇ ବନିତା ଗୋ ବଉଳ ! ।୩।

ଘଟିଥାଇ କଟୀତଟ ପତନୀ କାଛେଣୀ

ଘଣ୍ଟି-ଘାଗୁଡ଼ି କି ଶୋଭା ଗୋ ବଉଳ ! ରତ୍ନ ଓଢ଼ିଆଣୀ ଗୋ ବଉଳ !

ଘନ ଘନ କରି ଦେଉଥାଇ ବେଣୁସ୍ୱନ

ଘରେ ମନ ଥିର ନୋହେ ଗୋ ବଉଳ ଦହଇ ମଦନ ଗୋ ବଉଳ ! ।୪।

ନାନା ବର୍ଣ୍ଣେ ବନମାଳ ଲମ୍ବିଥାଇ ଉରେ

ନିରନ୍ତରେ ନ ଛାଡ଼ନ୍ତି ଗୋ ବଉଳ ! ପାସୋରି ଭସଳେ ଗୋ ବଉଳ !

ନୀଳମଣି ଅଙ୍ଗେ ଦିଶେ ଚନ୍ଦନ ଲେପନ

ନାଟୁଆ ଖଞ୍ଜନ ପ୍ରାୟେ ଗୋ ବଉଳ ! ଚଞ୍ଚଳ ନୟନ ଗୋ ବଉଳ ! ।୫।

 

ଭାବାର୍ଥ- (୧-୫) ଆମ୍ବ (ରସାଳ) ବଉଳକୁ ଦେଖି ରାଧା କହିଲେ- ଗୋ ବଉଳ, କୃଷ୍ଣବଳରାମ ଦୁଇ ଭାଇ ମଥୁରାପୁରରେ ରହିଲେ । ଯେତେ କଥା ତୁମ୍ଭ ଗଛମୂଳେ କୃଷ୍ଣ କହିଥିଲେ, କାହା ମେଳରେ ପଡ଼ି ତାକୁ କିପରି ପାସୋରି ଦେଲେ ? ଗୋ ବଉଳ, ତୁମ୍ଭ ବିକାଶ ବେଳକୁ ସେ ମୋତେ କ୍ଷଣେମାତ୍ର ଛାଡ଼ି ନ ଥା’ନ୍ତି । ଏହି ସମୟରେ ଛାଡ଼ି ଚାଲିଗଲେ । ମସ୍ତକର ଶୋଭା ବୃଦ୍ଧି ପାଇଁ ତୁମକୁ ସେ ଖୋସିଥିଲେ । ଗୋପୀନାରୀମାନେ ତାଙ୍କୁ ଦେଖି ଶ୍ରୀ କାମରେ ବଶ ହୋଇପଡ଼ୁ-। ତାଙ୍କ ଗଣ୍ଡମଣ୍ଡଳରେ ମକର ମୁଣ୍ଡଳ ଝଟକୁଛି । ତାଙ୍କ ମୁଖମଣ୍ଡଳ ପୂର୍ଣ୍ଣିମା ଚାନ୍ଦ ପରି-। ଗୋ ବଉଳ, ତାଙ୍କ ନାସାରେ ଗୋରୋଚନା ଚିତା ତାଙ୍କୁ ଖୁବ୍ ମାନୁଛି । ଗେଲାଇ କହିବା ଭାବ ଆଗରେ ସ୍ତ୍ରୀ ଲୋକ ମଧ୍ୟ ତାଙ୍କ ଆଗରେ ହାରିଯିବ । କଟୀ ଦେଶରେ ସୁନ୍ଦର କାଛେଣୀ, ତା’ ଠାରୁ ଅଧିକ ରମଣୀୟ ଘଣ୍ଟି ଘାଗୁଡ଼ିର ଶବ୍ଦ, ରତ୍ନ ଓଡ଼ିଆଣୀ ବେଶ ଯେମିତି ! ତାଙ୍କର ବେଣୁସ୍ୱନ ଚମତ୍କାର । ତାଙ୍କ ପାଇଁ ଘର ମଧ୍ୟରେ ମୋ ମନ ସ୍ଥିର ରହୁନାହିଁ । କନ୍ଦର୍ପ ଅହରହ ଦହନ କରୁଛି ।

 

ଗୋ ବଉଳ, ତାଙ୍କ ଛାତିରେ ନାନା ବର୍ଣ୍ଣର ବନମାଳ ଲମ୍ବିଥାଏ । ନିରନ୍ତର ତାକୁ ଛାଡ଼ୁ ନ ଥା’ନ୍ତି । ତାଙ୍କ ନୀଳମଣି ଅଙ୍ଗରେ ଚନ୍ଦନ ଲେପନ ଅତ୍ୟନ୍ତ ଶୋଭାମୟ । ଚଞ୍ଚଳ ନୟନ ସାଙ୍ଗକୁ ନାଟୁଆ ଖଞ୍ଜନ (କଜ୍ଜଳପାତି) ପକ୍ଷୀ ପ୍ରାୟ ଦେଖଯାଉଛନ୍ତି ।

ଚୂଳ ରଞ୍ଚିଥାଇ ଶିରେ ମୟୂର ପୂଚ୍ଛରେ

ଚାଲିଥାଇ କେତେବେଳେ ଗୋ ବଉଳ ! ଗାଈଙ୍କ ପଛରେ ଗୋ ବଉଳ !

ଚମକାଉ ଥାଇ ଚିତ୍ତ ମନ୍ଦ ମନ୍ଦ ହସି

ଚକ୍ଷୁରେ ସେ ଶୋଭା ଏବେ ଗୋ ବଉଳ ! ଦିଶୁଅଛି ଆସି ଗୋ ବଉଳ ! ।୬।

ଛନ୍ଦିଥାଇ ଗୁଞ୍ଜୁରା କାଇଁଚ ଗୁଞ୍ଜମାଳି

ଛଟକ କରିଣ ଥରେ ଗୋ ବଉଳ ! ଚାହିଁ ଥାଇ ଢାଳି ଗୋ ବଉଳ !

ଛଇଳ ପଣକୁ ତାକୁ ସମାନ କାହିଁଛି

ଛୁଆ ସିଂହ ଗଲାଦିନୁ ଗୋ ବଉଳ ! ସେ ସୁଖ ଯାଇଛି ଗୋ ବଉଳ ! ।୭।

ଯେତେ ଆଭରଣ ଥିଲେ କାଇଁସି କଙ୍କଣ

ଯତନେ ହେଁ କରିଥାଇ ଗୋ ବଉଳ ! ଜଗତଭୂଷଣ ଗୋ ବଉଳ !

ଯେତେ ସୁଖ ଆମ୍ଭଙ୍କୁ ସେ ଗୋପରେ ଦେଇଛି

ଜୀବଥିବା ଯାଏ ତାଙ୍କୁ ଗୋ ବଉଳ ! ନୁହଁଇ ମୂରୁଛି ଗୋ ବଉଳ ! ।୮।

ଝାଡ଼େ ବୁଲୁଥିଲେ ଝୁରୁଥାଉଁ ଗୋପବାଳି

ଝାଳେ ଝଳି ଯାଉ ଯାଉ ଗୋ ବଉଳ ! ପଡ଼ି ଗୋରୁ ଧୂଳି ଗୋ ବଉଳ !

ଝସକେତନ ସଙ୍ଗୀତ କାଳେ ତା ସଙ୍ଗରେ

ଝିଙ୍କାରୀ ଭୃଙ୍ଗ ଝଙ୍କାରେ ଗୋ ବଉଳ ! କରଇ ଶିଖରେ ଗୋ ବଉଳ ! ।୯।

ନେଇ ସବୁ ସୁଖ ଏବେ ମଥୁରା ରଖିଲା

ନିରେଖ କରି ଆମ୍ଭଙ୍କୁ ଗୋ ବଉଳ ! କାହିଁ ନ ଦେଖିଲା ଲୋ ବଉଳ !

ନ ସରଇ ଦିନ ଆଉ ତା ଗୁଣ ସୁମରି

ଦଣ୍ଡେ ବଶ କଲେ ତାଙ୍କୁ ଗୋ ବଉଳ ! ମଧିୁପୁରୀ ନାରୀ ଗୋ ବଉଳ ! ।୧୦।

 

ଭାବାର୍ଥ- (୬-୧୦) ଶିରରେ ମୟୂର ପୁଚ୍ଛର ଚୂଳ, ଗାଈଙ୍କ ମେଳରେ ଚାଲିବା ଦୃଶ୍ୟ ଖୁବ୍ ମନୋରମ । ଗୋ ବଉଳ, ତାଙ୍କର ମନ୍ଦମନ୍ଦ ହସ ସମସ୍ତଙ୍କ ମନକୁ ଚମକାଉଥାଏ । ଚକ୍ଷୁର ସେ ଶୋଭା ଏତେ ସୁନ୍ଦର ଯେ, ଆମେ ମୁଗ୍‌ଧ ନ ହୋଇ ରହିପାରୁନାହୁଁ । ତାଙ୍କ ବାହୁରେ କାଇଁଚମାଳ, ତାଙ୍କୁ ଆଖି ଢାଳି ଚାହିଁ ରହିଥାଏ । ଛଇଳ ପଣରେ ତାଙ୍କୁ କିଏ ସମାନ ହେବ ? ଗୋ ବଉଳ, ସିଏ ଗଲା ଦିନରୁ ସୁଖସବୁ ଚାଲିଯାଇଛି । କେତେ ପ୍ରକାର ଅଳଙ୍କାରରେ ଯତ୍ନରେ ତାଙ୍କ ଶରୀର ମଣ୍ଡି ହୋଇଛି । ଗୋ ବଉଳ, ସେ ଜଗତ ଭୂଷଣଙ୍କ ଆଭରଣର ତୁଳନା ନାହିଁ । ଯେତେ ସୁଖ ସେ ଆମ୍ଭମାନଙ୍କୁ ଗୋପପୁରରେ ଦେଇଛନ୍ତି, ଜୀବନ ଥିବା ଯାଏଁ ସେ ସବୁ ମୂର୍ଚ୍ଛି ହେବ ନାହିଁ ।

 

ଗୋ ବଉଳ, ଝାଡ଼ (ବଣ)ରେ ବୁଲିବା ଦେଖି ଗୋପନାରୀମାନେ ଝୁରୁଥା’ନ୍ତି । ଝାଳରେ ତାଙ୍କ ଶରୀର ବୁଡ଼ିଯାଇଥାଏ । ତା’ ଉପରେ ଗୋରୁଧୂଳି ପଡ଼ିଥାଏ । ଝିଙ୍କାରୀ, ଭ୍ରମରର ଝଙ୍କାର ପର୍ବତ ଦେଶରେ ଗୁଞ୍ଜରଣ ଖେଳାଇଥାଏ । ସେ ସବୁ ସୁଖକୁ ନେଇ ଏବେ ମଥୁରାପୁରରେ ରହିଛନ୍ତି । ଗୋ ବଉଳ, ଆମ୍ଭଙ୍କୁ ନିରକ୍ଷ କରିଗଲେ । ନିରେଖି ଆମ୍ଭଙ୍କୁ କେବେ ଦେଖିଲେ ନାହିଁ । ଦିନରାତି ତାଙ୍କର ଗୁଣ ସୁମରଣା କରୁଛୁ । ତାଙ୍କୁ ମନେ ନ ପକାଇଲେ ଦିନ ସରୁନାହିଁ । ମଧୁପୁର ନାରୀମାନେ ତାଙ୍କୁ ବଶ କରିଦେଇଛନ୍ତି ।

 

ଟେକି ଧଇଲେ ମନ୍ଦର ଆମ୍ଭର ହିତରେ

ଟେକି ପକାଇଲେ ଏବେ ଗୋ ବଉଳ ! ମଦନ ଟୋପରେ ଗୋ ବଉଳ !

ଟାଣ ତ ଯେତେ ଟାହିଟମାଳି ହିଁ ତେତେ

ଟିକାଏ ନ ସହେ ମାନ ଗୋ ବଉଳ ! ଅଭାବ ସଙ୍ଗତେ ଗୋ ବଉଳ ।୧୧।

ଠାକୁର ପଣକୁ ତାଙ୍କୁ ପରା ସେହି ସିନା

ଏକ ସଙ୍ଗେ ପଡ଼ି ଏବେ ଗୋ ବଉଳ ! ହେଲେ ଏତେ ଅନା ଗୋ ବଉଳ !

ଠିଆହୋଇଥାଇ ତରୁ କଦମ୍ବ ମୂଳରେ

ଠାରୁଥାଇ କି କି ଗୋ ବଉଳ ! ନୟନ କୋଣରେ ଗୋ ବଉଳ ! ।୧୨।

ଡକାଇତ ପଣେ ଏବେ ଡକାକରି ଗଲା

ଡୋଳାରୁ ନୀର ବହିବା ଗୋ ବଉଳ ! ଆଉ ନରହିଲା ଗୋ ବଉଳ !

ଡାକିଲେ ଶୁଣନ୍ତା ନାହିଁ କାହାକୁ କହିବୁ

ଡିଙ୍ଗର ମଦନ-ଦୁଃଖ ଗୋ ବଉଳ ! କେତେ ହେଁ ସହିବୁ ଗୋ ବଉଳ ।୧୩।

ଢାଳେ ଜାଣିଲୁଁ ଦଇବ ଆମ୍ଭଙ୍କୁ ଛାଡ଼ିଲା

ଢୋଳିଲା ଅମୃତ ଯାଇଁ ଗୋ ବଉଳ ! କା ହାତେ ପଡ଼ିଲା ଗୋ ବଉଳ !

ଢମ କହି ବୁଝାଇଲେ ଗୋପ ଯୁବତୀଙ୍କି

ଢଗ ମେଲିବାକୁ କଲେ ଗୋ ବଉଳ ! ମଥୁରା ନାରୀଙ୍କି ଗୋ ବଉଳ ! ।୧୪।

ଏହି କଥା ଆମ୍ଭଠାରେ ଅସାର ସେ କଲେ

ଅମୃତ ଖୁଆଇ ଏବେ ଗୋ ବଉଳ ! ପଛେ ବିଷ ଦେଲେ ଗୋ ବଉଳ

ଏହି ଘେନି ସିନା ପ୍ରାଣ ନ ଯାଇ ରହିଛି

ଅନବରତରେ ଏକା ଗୋ ବଉଳ ! ଆକୁଳ ହେଉଛି ଗୋ ବଉଳ ।୧୫।

ତେଡ଼େ ତେଡ଼େ ସଙ୍କଟରୁ ରଖି ନ ରଖିଲେ

ତାହାଙ୍କୁ ବୋଲିବୁ ଗୋ ବଉଳ ! ତାଙ୍କର ସେ କଲେ ଗୋ ବଉଳ !

ତାପ-ହର ବୋଲି ତାଙ୍କୁ ବୋଲୁଥାନ୍ତି ଲୋକେ

ତାହା ପ୍ରତେକ୍ଷେ ସେ କଲେ ଗୋ ବଉଳ ! ଦେଇ କାମ-ଶୋକ ଗୋ ବଉଳ ।୧୬।

 

ଭାବାର୍ଥ- (୧୧-୧୬) ଗୋ ବଉଳ, ଗୋପପୁର ବାସୀଙ୍କ ହିତ ପାଇଁ କୃଷ୍ଣ ଗିରିଗୋବର୍ଦ୍ଧନକୁ ଟେକି ଧରିଲେ । ମଥୁରାପୁରକୁ ସେ ଏବେ ମଦନ ଟୋପରେ ଟେକି ପଳାଇଲେ-। ସେ ଟାଣ ଯେତେ, ଟାହିଟାପରା ତା ଠାରୁ ଅଧିକ । ସମାନ୍ୟ ମାନ ସେ ସହନ୍ତି ନାହିଁ-। ଠାକୁର ପଣରେ ତାଙ୍କ ପରି ସେ କେବଳ, ଅନ୍ୟ ବୁଦ୍ଧିରେ ପଡ଼ି ସେ ଏବେ ବଦଳି ଯାଇଛନ୍ତି-। କଦମ୍ବ ବୃକ୍ଷ ମୂଳରେ ଠିଆ ହୋଇ ଆଖି କୋଣରେ ଠାରୁଥା’ନ୍ତି । ଡକାୟତି ପଣରେ ଡକା କରି ମଥୁରାକୁ ଚାଲିଗଲେ । ଆମ ଆଖିରୁ ଲୁହ ଝରିବା ବନ୍ଦ ହେଉନାହିଁ । ଡାକିଲେ ଶୁଣୁନାହାନ୍ତି, କାହାକୁ କହିବୁ-? ଡିଙ୍ଗର (ନୀଚ) କନ୍ଦର୍ପ ଯେଉଁ ଦୁଃଖ ଦେଉଛି, ତାକୁ କିମିତି ସହିବୁ-?

 

ରେ ବଉଳ, ଆମେ ଜାଣିଗଲୁଣି ଯେ, ଦଇବ ଆମକୁ ଛାଡ଼ିଲା । ଢୋକିଥିବା ଅମୃତ ଯାଇ କାହା ହାତରେ ପଡ଼ିଲା କେଜାଣି ? ବଡ଼ କଥା କହି ଗୋପନାରୀଙ୍କୁ ବୁଝାଇଲେ; ତେଣେ କିନ୍ତୁ ମଥୁରା ନାରୀଙ୍କ ଆଗରେ ଢଗ ମେଲିବାକୁ ଯାଇଛନ୍ତି । ଏହି କଥାକୁ କରି ଆମ୍ଭପାଖରେ ଅନ୍ୟାୟ କଲେ । ଆଗ ଅମୃତ ଖୁଆଇ ପଛେ ବିଷ ଦେଲେ । ବଉଳ, ଏଥିପାଇଁ ପ୍ରାଣ ନ ଯାଇ ଯାହା ରହିଛି । ଅନବରତ ମୋ ପ୍ରାଣ ଆକୁଳ ହେଉଛି । କେଡ଼େ କେଡ଼େ ସଙ୍କଟରୁ ସେ ନ ରଖିଲେ ? ତାପହର ବୋଲି ଲୋକେ ତାଙ୍କୁ କହିଥା’ନ୍ତି । ସେ ପ୍ରତ୍ୟକ୍ଷ ଭାବରେ ତାକୁ ଦେଖାଇ ଦେଲେ । ଆମକୁ କାମ ଶୋକରେ ଭସାଇ ଦେଲେ ।

 

ଥଣ୍ଟଚିରି ବକାଙ୍କୁ ମାଇଲା ଦିନୁ ତାଙ୍କୁ

ଥେଣ୍ଟରେ ଉପରେ ଥେଣ୍ଟ ଗୋ ବଉଳ ! ବୋଲି ତାଙ୍କୁ ଶଙ୍କୁ ଗୋ

ଥଳ ବୋଲି ଅଥଳେ ପଡ଼ିଲେ ମରିଯାଇଁ

ଥାଉଁ ଥାଉଁ ବୁଦ୍ଧି କେହି ଗୋ ବଉଳ ! ଅଥଳ ପଡ଼ଇ ଗୋ ବଉଳ ।୧୭।

ଦୟାନିଧି ବୋଲି ବଡ଼ କରିଥିଲୁ ଆଶ

ଦୟାଯାକ କେଣେ ଗଲା ଗୋ ବଉଳ ! ହୋଇଲୁ ନିରାଶ ଗୋ ବଉଳ !

ଦଣ୍ଡେ ଯେ ଯାହାକୁ ଘେନିଯାଇ ବଡ଼ କରି

ଦୋଷେ ଥିଲେ ନ ଥିଲେ ଗୋ ବଉଳ ! ତାକୁ ଦୂର କରି ଗୋ ବଉଳ ।୧୮।

ଧର୍ମକୁ ସେହି ଛାଡ଼ିଲେ ଆମ୍ଭର କି ଗଲା

ଧନ୍ୟ ପଣ ଆମ୍ଭର ଗୋ ବଉଳ ! ଲୋକରେ ରହିଲା ଗୋ ବଉଳ !

ଧର୍ମଶୀଳ ବୋଲି ବୋଲୁ ଥାଆନ୍ତି ଜଗତେ

ଧରଣୀରେ ଥାଇ ତାଙ୍କୁ ଗୋ ବଉଳ ! କେ ଯିବ ପରତେ ଗୋ ବଉଳ ।୧୯।

ନିଶ୍ଚେ ତାଙ୍କ ଗୁଣ ଗୁଣି ଆମ୍ଭେ ନାଶ ଗଲୁଁ

ନଳୀଧାରା ଶୁଆ ପ୍ରାୟେ ଗୋ ବଉଳ ! ବେଭାରେ ହୋଇଲୁ ଗୋ ବଉଳ !

 

ନ ଆସିବେ ବୋଲି ଯା ଲଗାଇଲେ ପୀରତି

ନିଶି ସେ ଆଶ କରନ୍ତେ ଗୋ ବଉଳ ! ହେଉଛି କରତି ଗୋ ବଉଳ ।୨୦।

 

ଭାବାର୍ଥ- (୧୭-୨୦) ବଉଳ, ବକାସୁରର ଥଣ୍ଟ ଚିରି ମାରିଲା ଦିନରୁ ତାଙ୍କୁ ଥଣ୍ଟ ଉପରେ ଥଣ୍ଟ ବୋଲି ଦେଖିଲେ ଡରୁଛୁ । ଥଳ ବୋଲି ଅଥଳରେ ପଡ଼ିଲେ ମୃତ୍ୟୁ ନିଶ୍ଚିତ । ବୁଦ୍ଧି ଥାଉଁ ଥାଉଁ କେହି କେବେ ଅଥଳରେ ପଡ଼େ ? ସେ ଦୟାନିଧି ବୋଲି ତାଙ୍କୁ ବଡ଼ ଆଶା କରିଥିଲୁ । ବଉଳ, ସେ ଦୟା ସବୁ କୁଆଡ଼େ ଗଲା ? ଆମେ ସବୁ ନିରାଶ ହୋଇଛୁ । କ୍ଷଣକ ପାଇଁ ଯିଏ ଯାହାକୁ ବଡ଼ ବୋଲି ମନେ କରିଥାଏ, ଦୋଷ ଥାଉ ବା ନ ଥାଉ ତାକୁ ଦୂର କରିହେବ କି ? ବଉଳ, ସେ ଯଦି ଧର୍ମକୁ ଛାଡ଼ିଲେ ଆମର କ’ଣ ଗଲା ? ଆମ୍ଭର ପଣ ସଂସାରରେ ରହିଲା । ତାଙ୍କୁ ଧର୍ମଶୀଳ ବୋଲି ଜଗତରେ ଲୋକେ ତାଙ୍କୁ କହିଥାନ୍ତି; କିନ୍ତୁ ସେ ଯାହା କରିଛନ୍ତି, ତାଙ୍କୁ ଏ ସଂସାରରେ କିଏ ବିଶ୍ୱାସ କରିବ ?

 

ଏହା ନିଶ୍ଚିତ ଯେ, ତାଙ୍କ ଗୁଣକୁ ଝୁରି ଝୁରି ଆମ୍ଭେ ନାଶ ଗଲୁ । ଆମ ଭାଗ୍ୟ ଏମିତି ଯେ, ଆମେ ନଳୀଦ୍ୱାରା ଧରା ହୋଇଥିବା ଶୁଆ ହୋଇଛୁ । ଆସିବେ ନାହିଁ ବୋଲି ସେ ଯାହା ପ୍ରୀତି ଭାବ ଲଗାଇଲେ ତାଙ୍କୁ ନିତି ଆଶ କଲେ ହୃଦୟ କରତି ହୋଇ ଯାଉଛି ।

 

ପୂତନା ପ୍ରାଣ ଘେନିଲା ଦିନୁଁ ତାଙ୍କୁ ଜାଣୁଁ

ପାପପୁଣ୍ୟ ଦୁଇକଥା ଗୋ ବଉଳ ! ବିଚାରିବା ଗୁଣୁ ଗୋ ବଉଳ।୨୧।

ଫଳେ ସିନା ଜାଣୁଁ ସବୁ ଭଲମନ୍ଦ କଥା

ଫେଡ଼ି କେତେ କହିବୁ ଗୋ ବଉଳ ! ଫୁଲଶର ବ୍ୟଥା ଗୋ ବଉଳ !

ଫୋଡ଼ି ଆଘାସୁର ଯେହ୍ନେ ବାହାର ହୋଇଲା

ଫୁରୁଣା ଘେନି ଆମ୍ଭର ଗୋ ବଉଳ ! ସେହି ରୂପେ ଗଲା ଗୋ ବଉଳ ।୨୨।

ବୁକୁ ହେଉଛି ବିଦାରି ସୁମରି ତାହାଙ୍କୁ

ବାଇ ପ୍ରାୟେ ହେଉଥାଉଁ ଗୋ ବଉଳ ! କହିବୁ କାହାକୁ ଗୋ ବଉଳ !

ବିବେକ ପଣ ଛାଡ଼ିଲୁ ଚିତ୍ତ ବିଭ୍ରମରେ

ବିପରୀତ ବୁଦ୍ଧି ଦେଲା ଗୋ ବଉଳ । ପ୍ରୀତି କଥା ଠାରେ ଗୋ ବଉଳ ।୨୩।

ଭାସିଗଲା ଭେଳା ସେ ଯେ ଲଗାନ୍ତି କୂଳରେ

ଭସାଇତ ଏବେ ଦେଲେ ଗୋ ବଉଳ ! ବିରହ ଜଳରେ ଗୋ ବଉଳ !

ଭାବଗ୍ରାହୀ ଭରସାରେ ତାହାଙ୍କୁ ଭଜିଲୁଁ

ଭଗାରି ହସାଇବାକୁ ଗୋ ବଉଳ ! ଲାଜକୁ ତେଜିଲୁ ଗୋ ବଉଳ ।୨୪।

ମଉଳାକୁ ମାଇଲେ ଗୋ ଧର୍ମକୁ ନଗଣି

ମାନ କରି ଥାଉ ଆମ୍ଭେ ଗୋ ବଉଳ ! ତାଙ୍କ ଠାରେ ପୁଣି ଗୋ ବଉଳ !

ମହାସୁଖ ଏବେ କୁବୁଜାକୁ ସବୁଠାରୁ

ମରିବାର ବଡ଼ ସୁଖ ଗୋ ବଉଳ। ଏହା ଶୁଣିବାରୁ ଗୋ ବଉଳ ।୨୫।

 

ଭାବାର୍ଥ- (୨୧-୨୫) ପୂତନାର ପ୍ରାଣ ନେଲାଠୁଁ କୃଷ୍ଣଙ୍କୁ ଆମେ ଜାଣୁ । ପାପପୁଣ୍ୟ ଦୁଇ କଥା ଯାକ ବିଚାରିବା ଆମେ ଗୁଣୁଛୁ । ଭଲ ମନ୍ଦ କଥା କର୍ମ ଫଳରୁ ଜଣାପଡ଼େ । ବଉଳ, ଏ ବିଷୟକୁ କେତେ ଖୋଜି କରି କହିବୁ ? ଫୁଳଶରର ପ୍ରହାର ବାଧୁଛି । ଅଘାସୁରକୁ ସେ ବିନାଶ କଲେ । ଆମ୍ଭର ଆନନ୍ଦ ଭାବକୁ ନେଇ ସେ ମଥୁରା ନଗରକୁ ଗଲେ । ତାଙ୍କୁ ସୁମରଣା କରି ଆମ୍ଭର ବୁକୁ ବିଦାରି ହୋଇ ଯାଉଛି । ବାୟାଙ୍କ ପରି ମନ ହେଉଛି, ଏ କଥା କାହାକୁ କହିବୁ ? ଚିତ୍ତ ବିଭ୍ରମ ହେତୁ ବିବେକ ପଣ ଆମର ହଜିଯାଉଛି । ବଉଳ, ପ୍ରୀତି କଥା ବଦଳରେ ବିପରୀତ ବୁଦ୍ଧି ମନକୁ ଆସୁଛି । ଭାସିଯାଉଥିବା ଭେଳାକୁ ସେ କୂଳରେ ଲଗାଇଥା’ନ୍ତି; କିନ୍ତୁ ଏବେ ଆମକୁ ବିରହ ଜଳରେ ଭସାଇ ଦେଲେ । କୃଷ୍ଣଙ୍କୁ ଭରସା କରି ନିଜର କଲୁ । ଲାଜକୁ ଛାଡ଼ିଲୁ । ଏବେ ଭଗାରି ହସା ହେଉଛୁ ।

 

ବଉଳ, ଧର୍ମକୁ ନ ମାନି ମାମୁ (ମଉଳା)ଙ୍କୁ ବଧ କଲେ । ଆମ୍ଭେମାନେ ତାଙ୍କଠାରେ ମାନ କରିଛୁ । ଏବେ ସବୁଠାରୁ ଅଧିକ ସୁଖ କୁବୁଜା ପାଉଛି । ଏହା ଶୁଣିବା ଠାରୁ ମରିଯିବା ବଡ଼ ସୁଖ ।

 

ଜିଇଁଥିଲେ ସବୁ ଦେଖୁଥାଇ ଶୁଣୁଥାଇ

ଯାଉତ ନାହିଁ ଜୀବନ ଗୋ ବଉଳ ! ଅଛି କାହିଁ ପାଇଁ ଗୋ ବଉଳ !

ଯେମନ୍ତେ ସବୁ କୁସୁମ ଭ୍ରମରକୁ ସରି

ଜାଣିଲୁ ସେହି ମତ ଗୋ ବଉଳ ! ପୁରୁଷଙ୍କୁ ନାରୀ ଗୋ ବଉଳ ।୨୬।

ରସିକଭ୍ରମର ସବୁଭାବ ଘେନୁଥାଇ

ରସସିନା ସବୁଠାରେ ଗୋ ବଉଳ ! ମନକୁ ରସଇ ଗୋ ବଉଳ !

ରଙ୍କରାଜା ହୋଇଲେ ସବୁ ହିଁ କରେ ଭୋଗ

ରଜା ହୋଇ ରଙ୍କ ହେଲେ ଗୋ ବଉଳ ! ହୋଏ ସେହୁ ଯୋଗ ଗୋ ବଉଳ ।୨୭।

ଲୟେ କରି ଯାହାକୁ ନ ପାନ୍ତି ବ୍ରହ୍ମାଶିବ

ଲୋଭୀ ହେଲେ ତାଙ୍କଠାରେ ଗୋ ବଉଳ ! ଆମ୍ଭର କି ହେବ ଗୋ ବଉଳ !

ଲୋଡ଼ିଯାହା ପାଦ ସେବା ନ ପାଇ କମଳା

ଲୀଳାରେ ସେ କୁବୁଜାକୁ ଗୋ ବଉଳ ! କଲେ କଣ୍ଠ ମାଳା ଗୋ ବଉଳ ।୨୮।

ବଡ଼ଲୋକମାନଙ୍କର ବଡ଼ ଅବେଭାର

ବୃଷଭ ଚଢ଼ିଲେ ହର ଗୋ ବଉଳ ! ତେବେ ହେଁ ସୁନ୍ଦର ଗୋ ବଉଳ

ବୋଲି ଯାହା ଯାଇଥିଲେ ତାହାତ ସେ କଲେ

ବଢ଼ିନଦୀ ସୋଲପ୍ରାୟେ ଗୋ ବଉଳ ! ଗୋପନାରୀ ହେଲେ ଗୋ ବଉଳ ।୨୯।

ସବୁ ହିଁ ସୁନ୍ଦର ଏକା ପ୍ରଭୁପଣ ଥିଲେ

ସୁନା ବସ୍ତ୍ର ହେଲେ ନିକି ଗୋ ବଉଳ ! ନ ବିକାଇ ଭଲେ ଗୋ ବଉଳ

ସବୁ କହିପାରୁଁ ଆମ୍ଭେ ନ ବୋଲିବା କିଛି

ସବୁ ରୂପେ ଆମ୍ଭର ଗୋ ବଉଳ ! ଜୀବନ ନେଇଛି ଗୋ ବଉଳ ।୩୦।

 

ଭାବାର୍ଥ- (୨୬-୩୦) ଜୀବନ ଥିଲେ ସବୁ ଦେଖିବାକୁ, ଶୁଣିବାକୁ ହେବ । ଏ ଜୀବନଟା କାହିଁକି ଯାଉନାହିଁ ? ଯେମିତି ଭ୍ରମର ସବୁ ଫୁଲକୁ ଚୁମ୍ବିଥାଏ, ସେମିତି ପୁରୁଷମାନେ ଗୋଟିଏ ନାରୀରେ ସନ୍ତୁଷ୍ଟ ହୋଇ ନ ଥା’ନ୍ତି । ବଉଳ, ଏବେ ଏହି କଥା ଜାଣିଲୁ । ରସିକ ଭ୍ରମର ଏ ଫୁଲରୁ ସେ ଫୁଲକୁ ଭ୍ରମୁଥାଏ । ରସ ସବୁଠାରେ ଅଛି । ତାଙ୍କୁ ଆମ ମନ ରସୁଛି । ଦରିଦ୍ର ରଜା ହେଲେ ସବୁ ଭୋଗ କରେ; କିନ୍ତୁ ରଜା ହୋଇ ଦରିଦ୍ର ହେଲେ ଖରାପ ଯୋଗ ଘଟିଥାଏ ।

 

ବଉଳ, ଯାହାଙ୍କୁ ଧ୍ୟାନ କରି ବ୍ରହ୍ମା, ଶିବ ପାଉନାହାନ୍ତି, ତାଙ୍କୁ ଆମେ ପାଇବାକୁ ଇଚ୍ଛା କଲେ କ’ଣ ପାଇପାରିବୁ ? ଯାହାଙ୍କ ପାଦ ସେବା କରିବାକୁ ଲକ୍ଷ୍ମୀ ଚାହିଁ ବସିଛନ୍ତି, ପାଉନାହାନ୍ତି ଆମେ ବା କେତେ ? ସେ ଲୀଳାମୟ ପୁରୁଷ । ଅପୂର୍ବ ଲୀଳରେ ସେ କୁବୁଜାକୁ କଣ୍ଠମାଳ କଲେ । ଯେତେ ବଡ଼ ଲୋକ କହିବ, ସେମାନଙ୍କର ସେତେ ଅବେଭାର ବା ଅନୀତି । ବଉଳ, ଶିବ ବୃଷଭ ଚଢ଼ିଲେ; ତା’ ସତ୍ତ୍ୱେ ବି ସେ ସୁନ୍ଦର । କୃଷ୍ଣ ଯାହା କହିଯାଇଥିଲେ, ତାହା ହିଁ କଲେ । ଏବେ ଗୋପୀନାରୀମାନେ ବଢ଼ି ନଈ ଜଳରେ ସୋଲ ପ୍ରାୟ ଭାସୁଛନ୍ତି ।

 

ବଉଳ, ଅସୁନ୍ଦର ବୋଲି କିଛି ନାହିଁ । ସବୁ କହିବାକୁ ଚାହିଁଲେ ମଧ୍ୟ କିଛି କହିପାରୁନାହିଁ ବା କହିବୁ ନାହିଁ । ଆମ୍ଭର ସବୁ ରୂପରେ ଜୀବନ ଯାଉଛି ।

 

ସାନବଡ଼ ହୋଇ ଏ ଯେତେକ ବ୍ରଜବାସୀ

ସହସ୍ରେ କୋଶରେ ଥିଲେ ଗୋ ବଉଳ ! ଆମ୍ଭେ ତାଙ୍କ ଦାସୀ ଗୋ ବଉଳ !

ସବୁଠାରେ ଅଛନ୍ତି ସେ ସବୁରି ଠାକୁର

ସେ କିପାଁ ସେବକଠାରେ ଗୋ ବଉଳ ! କରିବେ ଅନ୍ତର ଗୋ ବଉଳ ।୩୧।

ଷାଠିଏ ଦଣ୍ଡ ତାହାଙ୍କ ନାମ କହୁଥିବୁଁ

ଶରୀରେ ଜୀବନ ଥିଲେ ଗୋ ବଉଳ ! ତାଙ୍କୁ ନ ମୁର୍ଚ୍ଛିବୁ ଗୋ ବଉଳ !

ସବୁ କଥା ଭଲ ଏକା କଥାକେ ଦିଶିବ

ଶ୍ରୀହରି ଶ୍ରୀହରି ବୋଲି ଗୋ ବଉଳ ! ଜୀବ ଯେବେ ଯିବ ଗୋ ବଉଳ ।୩୨।

ହରି କୃପା କଲେ ସେ କଥାଇ ହେବ ପୁଣି

ହରଣ ହୋଇଣ ଥାଆ ଗୋ ବଉଳ ! ହଉଛୁଁ ମେଲାଣି ଗୋ ବଉଳ !

ହୃଦରେ ଆମ୍ଭଙ୍କୁ ଏକା ଦୟା କରିଥିବ

ହରିଙ୍କି ଦେଖିଲେ ଏକା ଗୋ ବଉଳ ! ବାରତା କହିବ ଗୋ ବଉଳ ।୩୩।

କ୍ଷମା କରି ସବୁ ଦୋଷ ସୁଦୟା କରିବେ

କ୍ଷୋଭ ଛଡ଼ାଇ ସଂସାରେ ଗୋ ବଉଳ ! ପାଦ ସେବା ଦେବେ ଗୋ ବଉଳ !

ଛାଡ଼ି ଗଲୁଟି ବଉଳ ! କ୍ଷୋଭ ନ କରିବ

କ୍ଷମେ ଦୀନ କୃଷ୍ଣ ବୋଲେ ଗୋ ବଉଳ ! କୃଷ୍ଣ ଭଜୁଥିବ ଗୋ ବଉଳ ।୩୪।

 

ଭାବାର୍ଥ- (୩୧-୩୪) ବଉଳ, ବ୍ରଜପୁରର ସାନ ବଡ଼ ଯେତେକ ନର ନାରୀ, ସେ ସହସ୍ର କୋଣ ଦୂରରେ ଥିଲେ ମଧ୍ୟ ଆମେ ତାଙ୍କର ଦାସ । ସେ ସବୁଠାରେ ଅଛନ୍ତି, ସଭିଙ୍କ ଠାକୁର-। ସେ କାହିଁକି ସେବକଠାରେ କଷ୍ଟ କରିବେ ବା ଆମକୁ ଅନ୍ତର କରିବେ ? ଶରୀରରେ ଜୀବନ ଥିବାଯାଏଁ ତାଙ୍କୁ ମୂର୍ଚ୍ଛି ପାରିବୁ ନାହିଁ । ଷାଠିଏ ଦଣ୍ଡ ତାଙ୍କର ନାମ ଜପୁଥିବୁ । ସବୁ ଭଲ କଥା ଏକା କଥାକେ ଦେଖାଯିବ । ଶ୍ରୀହରି ଶ୍ରୀହରି ବୋଲି ଯେବେ ଆମ ଜୀବନ ଯିବ, ତେବେ ଆମେ ଧନ୍ୟ ହେବୁ । ବଉଳ, ହରିଙ୍କ କୃପା ହେଲେ ପୂର୍ବର କଥା ପୁଣି ହେବ । ଆମେ ଏବେ ମେଲାଣି ହେଉଛୁ-। ହୃଦମଧ୍ୟରେ ଆମ୍ଭଙ୍କୁ ଦୟା କରିଥିବ । କୃଷ୍ଣଙ୍କୁ ଦେଖିଲେ ଆମ୍ଭର ବାର୍ତ୍ତା ଜଣାଇବ-। ବଉଳ ସେ କ୍ଷମାର ସାଗର । ଆମର ସବୁ ଦୋଷକୁ କ୍ଷମା କରି ଦୟା କରିବେ । କ୍ଷୋଭ ଛାଡ଼ି ଦେଇ ଆମକୁ ସେ ତାଙ୍କର ପାଦ ସେବା ଦେବେ । ବଉଳ, ଛାଡ଼ିଗଲୁ ବୋଲି ମନ ମଧ୍ୟରେ କ୍ଷୋଭ ଆଣିବ ନାହିଁ । ବଉଳ, ସଦା ସର୍ବଦା କୃଷ୍ଣଙ୍କୁ ଧ୍ୟାନ କରୁଥିବ । କବି ଦୀନକୃଷ୍ଣ ଭକ୍ତିଭାବରେ ଏହା କହିଲେ ।

Image